Thursday, 20 September 2018

ରାଜ୍ୟରେ ଗୋସମ୍ପଦ ହ୍ରାସ ପାଉଛି


ଭୁବନେଶ୍ୱର : ଭାରତ ସରକାରଙ୍କ ନିୟମ ଅନୁଯାୟୀ ପ୍ରତି ୫ ବର୍ଷରେ ଥରେ ପଶୁଧନ ଗଣନା ହୋଇଥାଏ । କୋରାପୁଟ ଜିଲ୍ଲା ସମେତ ରାଜ୍ୟରେ ୨୦୦୭ ଓ ୨୦୧୨ ମସିହାରେ ପଶୁଧନ ଗଣନା ହୋଇଥିଲା । ଉକ୍ତ ଗଣନା ଅନୁଯାୟୀ ରାଜ୍ୟରେ ଗୋମହିଷାଦିଙ୍କ ସଂଖ୍ୟା ୨୦୦୭ ବର୍ଷରେ ୧,୪୯,୩୮,୫୭୯ ଓ ୨୦୧୨ ବର୍ଷରେ ୧,୨୩,୪୭,୫୭୮ ଥିଲା । କୋରାପୁଟ ଜିଲ୍ଲାରେ ୨୦୦୭ ଗଣନା ଅନୁଯାୟୀ ୫,୭୯,୧୮୫ ଗୋମହିଷାଦି ଥିବାବେଳେ ୨୦୧୨ ମସିହାରେ ୫,୪୮,୧୭୫ ଗୃହପାଳିତ ପଶୁ ଅଛନ୍ତି । ବ୍ୟାପକ କୃଷି ଯନ୍ତ୍ରର ବ୍ୟବହାର, ଶିଳ୍ପାୟନ, ସୂଚନା ଓ ପ୍ରଯୁକ୍ତି ବିଦ୍ୟାର ବହୁଳ ପ୍ରସାର ଏବଂ ଚାରଣ ଭୂମିର ହ୍ରାସ ଯୋଗୁଁ ଗୃହପାଳିତ ପଶୁଙ୍କ ସଂଖ୍ୟାରେ ହ୍ରାସ ଘଟିଛି । ସେହି ଅନୁସାରେ କୋରାପୁଟ ଜିଲ୍ଲାରେ ୨୦୦୭ ରୁ ୨୦୧୨ ମଧ୍ୟରେ ୫.୩୫ ପ୍ରତିଶତ ଗୃହପାଳିତ ପଶୁଙ୍କ ସଂଖ୍ୟା ହ୍ରାସ ପାଇଅଛି ବୋଲି କଂଗ୍ରେସ ସଭ୍ୟ ତାରା ପ୍ରସାଦ ବାହିନୀପତିଙ୍କର ପ୍ରଶ୍ନର ଉତ୍ତରରେ ମତ୍ସ୍ୟ ଓ ପଶୁ ସମ୍ପଦ ବିକାଶ ମନ୍ତ୍ରୀ ଶ୍ରୀ ପ୍ରଦୀପ ମହାରଥୀ ପ୍ରକାଶ କରିଛନ୍ତି । ଶ୍ରୀ ମହାରଥି କହିଥିଲେ ଅବିଭକ୍ତ କୋରାପୁଟ ଜିଲ୍ଲାରୁ ପ୍ରତ୍ୟେକ ଦିନ ଶହଶହ ସଂଖ୍ୟାରେ ଗାଈଗୋରୁଙ୍କୁ ଆନ୍ଧ୍ରପ୍ରଦେଶକୁ ଚଲାଇ ଚଲାଇ ନେବାର ଖବର ସରକାରଙ୍କ ହସ୍ତଗତ ହୋଇନାହିଁ । କୋରାପୁଟ ଜିଲ୍ଲା ସମେତ ରାଜ୍ୟର ପ୍ରତ୍ୟେକ ଜିଲ୍ଲାରେ ଜୀବ ନିଷ୍ଠୁରତା ନିରୋଧ ସମିତି ଗଠନ କରାଯାଇ ଜୀବମଙ୍ଗଳ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ସହିତ ଆଇନ୍ ଅନୁଯାୟୀ ପ୍ରାଣୀମାନଙ୍କୁ ସୁରକ୍ଷା ପ୍ରଦାନ କରିବା ନିମନ୍ତେ ପଦକ୍ଷେପ ନିଆଯାଉଅଛି । ପ୍ରତି ଜିଲ୍ଲାର ଜିଲ୍ଲାପାଳ ଜିଲ୍ଲା ସମିତି ଅଧ୍ୟକ୍ଷ ଭାବେ ଆରକ୍ଷୀ ଅଧିକ୍ଷକ ଉପାଧ୍ୟକ୍ଷ ଭାବେ ଏବଂ ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ ଅବୈତନିକ ସମ୍ପାଦକ ଭାବେ କାର୍ଯ୍ୟ କରୁଛନ୍ତି ବୋଲି ମନ୍ତ୍ରୀ କହିଥିଲେ ।

No comments:

Post a Comment