Friday, 24 August 2018

ବେଆଇନ ଗୋ-ଚାଲାଣ ପ୍ରସଙ୍ଗ: ମାମଲାରେ ବିଶ୍ୱ ଗୋ-ସୁରକ୍ଷା ବାହିନୀ ପକ୍ଷଭୁକ୍ତ


କଟକ, ୨୪/୮  ରାଜ୍ୟରେ ଚାଲିଥିବା ବେଆଇନ ଗୋ ଚାଲାଣକୁ ବିଶ୍ୱ ଗୋ ସୁରକ୍ଷା ବାହିନୀ ପକ୍ଷରୁ ବାରମ୍ବାର ବିରୋଧ କରାଯିବା ସତ୍ତେ୍ୱ ଚାଲାଣକାରୀମାନେ ଅବାଧରେ କଟକ ସହର ଓ ରାଜ୍ୟ ବାହାରର କଂସେଇଖାନାକୁ ଗୋ ଚାଲାଣ କରୁଛନ୍ତି । ଏଥିପାଇଁ ବାହିନୀ ପକ୍ଷରୁ ଅଦାଲତର ଆଶ୍ରୟ ନିଆଯାଇଥିବା ବେଳେ ଏହି କାର୍ଯ୍ୟକଳାପ ଚାଲିଥିବା ପରିଲକ୍ଷିତ ହୋଇଛି । ବାଦାମବାଡିରୁ ଜବତ କରାଯାଇଥିବା ଏକ ଗୋରୁ ବୋଝେଇ ଗାଡି ମାମଲାରେ ଏସଡିଜେଏମ କୋର୍ଟ ବିଶ୍ୱ ଗୋସୁରକ୍ଷା ବାହିନୀର ରାଜ୍ୟ ସଭାପତି ଆଇନଜୀବୀ ସୁରେଶ କୁମାର ପଣ୍ଡା ପକ୍ଷଭୁକ୍ତ କରିଛନ୍ତି । ଗତ ଜୁଲାଇ ୩୧ ତାରିଖରେ ଗୋଟିଏ ପିକଅପ୍ ଭ୍ୟାନ(ଓଆର୦୫-ଜେ-୮୪୬୧)ରେ ୧୨ଟି ଗାଈକୁ ନେଇ ନିଆଳିରୁ କଟକକୁ ଆସୁଥିବା ବେଳେ ଗୋ-ସୁରକ୍ଷା କର୍ମୀ ଓ ପୁଲିସ ଦ୍ୱାରା ଉଦ୍ଧାର କରାଯାଇ ସେମାନଙ୍କୁ ଗୋଶାଳାରେ ଛଡାଯିବା ସହ ଅଭିଯୁକ୍ତମାନଙ୍କ ବିରୋଧରେ ବାଦାମବାଡି ଥାନାରେ ମାମଲା ରୁଜୁ କରାଯାଇଥିଲା । ତେବେ ଭୁବନେଶ୍ୱରର ଝାରପଡା ମୁସଲିମ ସାହିର ସେକ୍ କୁନା ନିଜକୁ ଗାଈର ମାଲିକ ବୋଲି ଦର୍ଶାଇ କଟକ ଏସଡିଜେଏମ(ସଦର)ଙ୍କ କୋର୍ଟରେ ଗାଈମାନଙ୍କୁ ନେବାପାଇଁ ମାମଲା ରୁଜୁ କରିଥିଲା । ଗୋମାତାଙ୍କ ସୁରକ୍ଷା ପାଇଁ ଉକ୍ତ ମାମଲାରେ ବିଶ୍ୱ ଗୋ-ସୁରକ୍ଷା ବାହିନୀର ରାଜ୍ୟ ସଭାପତି ଆଇନଜୀବୀ ସୁରେଶ କୁମାର ପଣ୍ଡା ପକ୍ଷଭୁକ୍ତ ହେବା ପାଇଁ ଏକ ମିସ୍ କେସ୍ ଦାୟର କରିଥିଲେ । ମାନ୍ୟବର କୋର୍ଟ ମାମଲାର ଶୁଣାଣି କରି ଶ୍ରୀ ପଣ୍ଡାଙ୍କୁ ଏହି ମାମଲାରେ ପକ୍ଷଭୁକ୍ତ କରିବା ସହିତ ଆସନ୍ତା ୨୮ ତାରିଖରେ ତାଙ୍କର ଜବାବ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି । ସୂଚନାଯୋଗ୍ୟ ଯେ, ଗତ ଜୁଲାଇ ୩୧ ତାରିଖ ରାତି ଦୁଇଟା ସମୟରେ ନିଆଳିରୁ ଏକ ପିକଅପ୍ ଭ୍ୟାନ(ଓଆର-୦୫- ଜେ-୮୪୬୧) ୧୨ଟି ଗୋରୁଙ୍କୁ ଅତି ନିର୍ମମ ଭାବେ ପଛ ଗୋଡ ଭାଙ୍ଗି, ଶିଙ୍ଘକୁ ବାନ୍ଧି ବସ୍ତାପରି ଲଦି କଟକ କଂସେଇ ଖାନାକୁ ହତ୍ୟା ପାଇଁ ଆଣୁଥିବା ଖବର ବିଶ୍ୱ ଗୋ-ସୁରକ୍ଷା ବାହିନୀର ସଦସ୍ୟମାନେ ଜାଣିପାରି ତାକୁ ଅଟକାଇବା ପାଇଁ ପିଛା କରିଥିଲେ । ତେବେ ଗାଡିଟି ଖୁବ୍ ଦ୍ରୁତ ଗତିରେ କଟକ ଆଡକୁ ଆସୁଥିବାରୁ ସେମାନେ ବାଦାମବାଡି ଥାନାକୁ ଜଣାଇଥିଲେ । ଥାନା ପୋଲିସ ବାଦାମବାଡି ଟ୍ରାଫିକ ଛକ ନିକଟରେ ଗାଡିଟିକୁ ଅଟକାଇଥିଲା । ଏଠାରେ ପ୍ରକାଶଯୋଗ୍ୟ ଯେ, ମାନ୍ୟବର ହାଇକୋର୍ଟଙ୍କ ଆଦେଶ, ଏମଭି ଆକ୍ଟ ୧୯୭୮, ଆନିମଲ ୱେଲଫେୟାର ବୋର୍ଡ ଅଫ ଇଣ୍ଡିଆଙ୍କ ନିର୍ଦ୍ଦେଶ ଓ କାଓ ସ୍ଲଟର ଆକ୍ଟ ୧୯୬୦କୁ ଉଲ୍ଲଙ୍ଘନ କରି ବେଆଇନ ଭାବେ ଗୋଚାଲାଣ କରାଯାଉଥିବା ନେଇ ବାହିନୀର ରାଜ୍ୟ ସଭାପତି ଶ୍ରୀ ପଣ୍ଡା କୋର୍ଟଙ୍କୁ ଦର୍ଶାଇଥିଲେ । ସରକାରଙ୍କ ପକ୍ଷରୁ ବିଶ୍ୱଜିତ ବରାଳ ଓ ଆର ରେଡ୍ଡି ମାମଲା ପରିଚାଳନା କରୁଥିବା ବେଳେ ବିଶ୍ୱ ଗୋ ସୁରକ୍ଷା ବାହିନୀ ପକ୍ଷରୁ ଆଇନଜୀବୀ ରମାକାନ୍ତ ପଣ୍ଡା, ପ୍ରଫୁଲ୍ଲ ଚନ୍ଦ୍୍ର ଦାସ, ରିତୁ ରଂଜନ ଛୋଟରାୟ, ଗଗନ ବାରିକ ପ୍ରମୁଖ ମାମଲା ପରିଚାଳିନା କରୁଥିଲେ ।

No comments:

Post a Comment